Unknown

 

 

 

 

 

 

 

 

 

 

 

ମଞ୍ଚକନ୍ୟାର କାହାଣୀ

ଅବନୀ କୁମାର ବରାଳ

 

ପରିଚୟ :

 

ଅବନୀ କୁମାର ବରାଳଙ୍କ ଦ୍ୱାରା ଲିଖିତ ‘ମଞ୍ଚକନ୍ୟାର କାହାଣୀ’ ନାଟକଟି ମଞ୍ଚର ରଙ୍ଗୀନ୍‍ ଆଲୋକ ପଛରେ ଲୁଚି ରହିଥିବା ଅଭିନେତ୍ରୀମାନଙ୍କର ମର୍ମସ୍ପର୍ଶୀ ଏବଂ କରୁଣ ଜୀବନର କାହାଣୀ । କଳାକାରମାନଙ୍କର ବାସ୍ତବ ସଂଘର୍ଷ, ପାରିବାରିକ ଶୋଷଣ ଏବଂ ସାମାଜିକ ଅବହେଳା ଚିତ୍ର ଏହି ପୁସ୍ତକରେ ବର୍ଣ୍ଣିତ ।

 

ପୁସ୍ତକଟିର ଆରମ୍ଭ ରଙ୍ଗମଞ୍ଚର ଗ୍ରୀନ୍‍ରୁମ୍‍ରୁ ହୁଏ । ସେଠାରେ ଅଭିନେତ୍ରୀମାନେ ନିଜର ବେଶଭୂଷା ବଦଳାଉଛନ୍ତି । ଗ୍ରୀନ୍‍ରୁମ୍‍ ହିଁ ସେମାନଙ୍କ ବାସ୍ତବତା ଏବଂ ଅଭିନୟ ମଧ୍ୟରେ ଏକ ସୀମାରେଖା । ମଞ୍ଚର ଯାଦୁକରୀ ଆଲୋକରେ ସବୁ ଖାଲ-ଢିପ, ଉଚ୍ଚ-ନୀଚ ଏବଂ ବୟସର ଛାପ ସମାନ ଦିଶେ । କିନ୍ତୁ ‘ମାୟାବିନୀ ମଞ୍ଚ’ର ଆଲୋକ ଲିଭିଗଲା ପରେ, ସେମାନେ ପୁଣି ସେହି ଅଭାବ ଏବଂ ଅସହାୟତାର ଅନ୍ଧକାର ଭିତରକୁ ଫେରିଆସନ୍ତି । ପୁସ୍ତକଟି ସମାଜର ସେହି ଦ୍ୱିମୁଖୀ ଚରିତ୍ରକୁ ଉନ୍ମୋଚିତ କରେ, ଯେଉଁଠି ଲୋକମାନେ ଦିନରେ ନିଜକୁ ସାଧୁ ଓ ସୁପୁରୁଷ ବୋଲି ଦେଖାନ୍ତି, କିନ୍ତୁ ରାତିର ଅନ୍ଧକାରରେ ଅଭିନେତ୍ରୀମାନଙ୍କୁ ‘ହାଡ଼ ମାଉଁସର ବାଘ’ ଭଳି ଗିଳିବାକୁ ଚେଷ୍ଟା ।

 

ପୃଷ୍ଠଭୂମି :

 

କାହାଣୀର ପୃଷ୍ଠଭୂମି ଜଣେ ନିମ୍ନ ମଧ୍ୟବିତ୍ତ କଳାକାର ପରିବାରର ଚତୁଃପାର୍ଶ୍ୱରେ ଘୂରି ବୁଲେ । ନାଟକଟି ସେହି ସମୟର କଥା କହେ ଯେତେବେଳେ ନାରୀମାନଙ୍କ ପାଇଁ ଅଭିନୟକୁ ଏକ ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରାଯାଉ ନଥିଲା । କାହାଣୀର ପରିବେଶରେ ଏକ କଠୋର ବାସ୍ତବତା ଅଛି, ଯେଉଁଠି ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଝିଅମାନଙ୍କୁ ନିଜର ସୁଖ ଓ ସ୍ୱାଭିମାନ ବିସର୍ଜନ କରିବାକୁ ପଡ଼ିଥାଏ । ରଙ୍ଗମଞ୍ଚରୁ ଆରମ୍ଭ କରି ପ୍ରସୂତି ଭବନ ପର୍ଯ୍ୟନ୍ତ ଏହି ଯାତ୍ରା ଅତ୍ୟନ୍ତ ଦୟନୀୟ ।

 

ପ୍ରମୁଖ ପାତ୍ରମାନେ :

 

ସୁନୀଲା (ଦୁର୍ଗା): କାହାଣୀର ମୁଖ୍ୟ ଚରିତ୍ର, ଯିଏ ବାଲ୍ୟକାଳରୁ ମଞ୍ଚକୁ ଆସିଛି ଏବଂ ନିଜ ସରଳତା ହରାଇ ଏକ ଯନ୍ତ୍ରବତ୍ ଜୀବନ ବଞ୍ଚୁଛି । ଅଭିନୟ ଶିଖାଇବା ବାହାନାରେ ଜଣେ ବିଖ୍ୟାତ ନିର୍ଦ୍ଦେଶକ ତାଙ୍କୁ ଶୋଷଣ କରିଥିଲେ ।, କିନ୍ତୁ ମଞ୍ଚର ଚମକ ପାଇଁ ନିର୍ଦ୍ଦେଶକମାନେ ତାଙ୍କ ନାମ ବଦଳାଇ ‘ସୁନୀଲା’ ରଖିଥିଲେ । ସୁନୀଲା ଜଣେ ଅଭିଜ୍ଞା ଅଭିନେତ୍ରୀ ଭାବରେ ଜୀବନର ତିକ୍ତତାକୁ ବୁଝିଛନ୍ତି । ସେ ନିଜ ସାନ ଭଉଣୀ ଅନୀଲା ପାଇଁ ସଦାବେଳେ ଚିନ୍ତିତ ।

 

ଅନୀଲା (ବିମଳା): ସୁନୀଲାର ସାନ ଭଉଣୀ, ଯିଏ ଅଧିକ ସ୍ପଷ୍ଟବାଦୀ ଏବଂ ଜୀବନକୁ ନିଜ ଢଙ୍ଗରେ ବଞ୍ଚିବାକୁ ଚେଷ୍ଟା କରି ଶୋଷଣର ଶିକାର ହୋଇଛନ୍ତି । ସେ ମଧ୍ୟ ପ୍ରଥମ ନାମ ବିମଳାରୁ ଅନୀଲା ହୋଇଯାଇଛନ୍ତି ।

 

ମଦନ ଦାସ:–ସୁନୀଲା ଓ ଅନୀଲାର ବାପା, ଜଣେ ପୂର୍ବତନ ଟ୍ରକ୍ ଡ୍ରାଇଭର ଏବଂ ନିଜ ଝିଅମାନଙ୍କ ରୋଜଗାରରେ ନିର୍ଲଜ୍ଜ ଭାବେ ଚଳନ୍ତି । ସେ ଜଣେ ଅର୍ଥଲୋଭୀ ଓ ସ୍ୱାର୍ଥପର ଚରିତ୍ର, ଯିଏ ନିଜ ଝିଅମାନଙ୍କୁ କେବଳ ଟଙ୍କା ରୋଜଗାରର ମାଧ୍ୟମ ଭାବରେ ଦେଖନ୍ତି ।

 

ବୁଲାଭାଇ: କାହାଣୀର ସବୁଠାରୁ ଆଦର୍ଶ ଓ ସକାରାତ୍ମକ ଚରିତ୍ର । ସେ ସମସ୍ତଙ୍କର ଆପଣାର । ଜଣେ ଜାରଜ ସନ୍ତାନ ହୋଇ ମଧ୍ୟ ତାଙ୍କ ହୃଦୟ ମଣିଷତ୍ୱରେ ଭରପୂର । ସେ ସୁନୀଲାକୁ ଭଲ ପାଆନ୍ତି ଏବଂ ଶେଷରେ ତା’ର ସାହାରା ହୁଅନ୍ତି । ଏହି ଦୁଃଖଦ ଅତୀତ ସତ୍ତ୍ୱେ ସେ ଜଣେ ନିଃସ୍ୱାର୍ଥପର ବ୍ୟକ୍ତି । ସେ କେବଳ ସୁନୀଲାକୁ ଆଶ୍ରୟ ଦିଅନ୍ତି ନାହିଁ, ବରଂ ଅନୀଲାର ଅନାଥ ଶିଶୁର ପିତୃତ୍ୱ ଗ୍ରହଣ କରି ମାନବିକତାର ଉଦାହରଣ ସୃଷ୍ଟି କରନ୍ତି ।

 

ନୀରଦବାଳା:–ଜଣେ ବୟସ୍କା ଅଭିନେତ୍ରୀ, ସିଏ ସୁନୀଲାକୁ ନିଜ ଅତୀତର କାହାଣୀ ଶୁଣାଇ ଅଭିନେତ୍ରୀମାନଙ୍କର ଭବିଷ୍ୟତ କେତେ ଅନ୍ଧକାରମୟ ତାହା ସୂଚେଇ ଦିଅନ୍ତି ।

 

ରସିକମୋହନ:– ଜଣେ ଲୋକପ୍ରିୟ ଅଭିନେତା, କିନ୍ତୁ ତାଙ୍କର ଚରିତ୍ର ଅତ୍ୟନ୍ତ କଳଙ୍କିତ । ସେ ନାରୀମାନଙ୍କୁ ପ୍ରେମ ଜାଲରେ ଫସାଇ ଶୋଷଣ କରନ୍ତି । ସେ ଅନୀଲାକୁ ନିଜ ଆକର୍ଷଣରେ ବାନ୍ଧି ରଖନ୍ତି ଏବଂ ତାଙ୍କ ମାଧ୍ୟମରେ ସୁନୀଲା ମଧ୍ୟ ଜାଣିପାରନ୍ତି ଯେ ରଙ୍ଗମଞ୍ଚର ହିରୋମାନେ ବାସ୍ତବରେ କେତେ ହିଂସ୍ର ଓ ସ୍ୱାର୍ଥପର ।

 

ସୁରେଶ:–ସୁନୀଲା ଓ ଅନୀଲାର ଭାଇ । ସେ ଜଣେ ବେକାର ଯୁବକ, ଯିଏ ନିଜ ଭଉଣୀମାନଙ୍କ ରୋଜଗାରରେ ଚଳେ । ସେ ମଧ୍ୟ ନିଜ ବାପାଙ୍କ ପରି କିଛି ମାତ୍ରାରେ ସ୍ୱାର୍ଥପର ।

 

ବିଷୟବସ୍ତୁ :

 

ଉପନ୍ୟାସର ଆରମ୍ଭ ହୁଏ ଗ୍ରୀନ୍‍ରୁମରେ ସମ୍ମିଳିତ କିଛି ଅଭିନେତ୍ରୀମାନଙ୍କ ହସରୋଳରୁ । ମଞ୍ଚ ଉପରେ ସୁନୀଲା ଓ ଗୀତାଙ୍କର ଅଭିନୟରେ ଶେଷ ଦୃଶ୍ୟ ଅଭିନୀତ ହେଉଥାଏ । ଏପଟେ ଗ୍ରୀନ୍‍ରୁମରେ ସୁନୀଲା ଭଉଣୀ ଅନୀଲା ସମେତ ଆଉ ଚାରି ପାଞ୍ଚଜଣ ଅଭିନେତ୍ରୀଙ୍କ ଖୁସିଗପ ଚାଲିଥାଏ । ସେହି ଭିତରେ ବି ଫୁଟି ବାହାରି ଆସୁଥାଏ, ସେମାନଙ୍କ ଜୀବନ ଯନ୍ତ୍ରଣାର ମର୍ମଦାହ । ଲୁଗା ବଦଳିବାବେଳେ ଅନୀଲା ଦେହରୁ ସମ୍ପୂର୍ଣ୍ଣ ଖସିଯାଉଥିବା ଦେଖି, କେହି ଜଣେ କହୁଛି ତାକୁ ଲୁଗାଟିଏ ଜଲ୍‍ଦି ଘେରେଇ ନେବାକୁ । କିଏ କାଳେ ଆସିଯିବେ-। ହସିଦେଇ ନିର୍ଲିପ୍ତ ଭାବରେ ଅନୀଲା ପ୍ରକାଶ କରୁଛି ଜୀବନ ଓ ଜୀବିକାକୁ ନେଇ ତା’ର କ୍ଷୋଭ-। ‘‘ଦେଢ଼ଟଙ୍କାରେ କିଣା ଯୌବନ’’କୁ ଦେଖାଇବା ଆଉ ଲୁଚେଇବାରେ ପାର୍ଥକ୍ୟ କ’ଣ ! ସମାଜରେ ମୁଖାପିନ୍ଧା ସାଧୁ, ତଥାକଥିତ ସୁପୁରୁଷମାନଙ୍କୁ ତାତ୍ସଲ୍ୟ କରୁଛି ସେ ।

 

ମଞ୍ଚ ଅଭିନେତ୍ରୀ ସୁନୀଲା ଓ ଅନୀଲା ଦୁଇ ଭଉଣୀଙ୍କୁ ନେଇ ଗଢ଼ିଉଠିଥିବା ଏହି ଉପନ୍ୟାସର ଆରମ୍ଭରେ ମଞ୍ଚ ଜୀବନକୁ ନେଇ ସମ୍ୟକ୍‍ ସୂଚନା ଦେଇଛନ୍ତି ଏଠି ଔପନ୍ୟାସିକ । ଜଣେ, ଦୁଇଜଣଙ୍କୁ ଛାଡ଼ିଦେଲେ ସମସ୍ତ ଅଭିନେତ୍ରୀଙ୍କ ଯୌବନ ଢଳି ଆସିଲାଣି । ମୁହଁରେ ବହେ ରଙ୍ଗ ବୋଳି, କ୍ୟାଣ୍ଡଲ୍‍ ଲାଇଟ୍‍ ଆଗରେ ଠିଆ ହେଲେ, ଜୀବନର ରଙ୍ଗ ପରିବର୍ତ୍ତିତ ହୋଇ ଦେଖାଯାଏ । କୁତ୍ସିତା ବି ଅପରୂପା ରୂପସୀ ପରି ଲାଗେ । ମାୟାବିନୀ ମଞ୍ଚର ମାୟା ନିଆରା । ଦୃଶ୍ୟ ପରିବର୍ତ୍ତନ ସମୟରେ ଷ୍ଟେଜ୍‍ ଉପର ଅନ୍ଧାର । ଷ୍ଟେଜ୍‍ ପଛପଟେ ଅଳ୍ପ ଅଳ୍ପ ଆଲୋକ । ସେଇ ଭିତରେ ବି ପୁରଷ ମନତଳ କୁତ୍ସିତ ମନୋବୃତ୍ତିର ପରିପ୍ରକାଶ ଦେଖିବାକୁ ମିଳେ । ସୁନୀଲା ଟିକେ ବୟସ୍କ ହୋଇଆସିଲାଣି । ଅନୀଲା କିନ୍ତୁ ତା’ ଯୌବନର ଶିଖରରେ । ଓର ଉଣ୍ଡି କେହି ଛାତିକି ଲଗାଇ ଦେହ ଘଷିଦିଏ ତ କିଏ ହାତ ପାଦ ଟିକେ ଚାପି ଦେଇ ମନର ଓରମାନା ମେଣ୍ଟାଏ-। ରସିକମୋହନ, ଯିଏ ଉଭୟ ସୁନୀଲା ଏବଂ ଅନୀଲା ସହ ଅଭିନୟ କରେ, ଇସାରା ଦିଅନ୍ତି-। ସେ ଆକର୍ଷଣ କରିଛନ୍ତି ଅନେକ ନାରୀଙ୍କୁ, ତାଙ୍କ ପାଇଁ ଲାଞ୍ଛିତ ହୋଇଛନ୍ତି ଅନେକ ଝିଅ-। ଅନୀଲା, ରସିକମୋହନ ଆଡ଼କୁ ଢଳୁଥିବାର ସୁନୀଲା ବୁଝିପାରେ । ରୀତିମତ ନଜର ରଖେ-। ବାରମ୍ବାର ତାଗିଦ କରୁଥାଏ ଅନୀଲାକୁ ସେ, ଏ ଶିଉଳିଲଗା ପାହାଚରେ ଯେମିତି ତା’ ପାଦ ଖସି ନ ଯାଉ କି ସେ ତଳିତଳାନ୍ତ ହୋଇ ନ ଯାଉ ।

 

ସୁନୀଲା ଯେତିକି ସ୍ଥିର ଓ ସଂଯମୀ, ଅନୀଲା ସେତିକି ଅସ୍ଥିର ଓ ମୁକ୍ତ ମାନସିକତାର ନାରୀ । ଖୁବ୍‍ କମ୍‍ ବୟସରୁ ଅନୀଲା ମଞ୍ଚ ଅଭିନେତ୍ରୀ । ସେ ବୁଝେ ଜୀବନଟା ଅଭିନୟ ହେଲେ ବି ଅଭିନୟଟା ଜୀବନ ହୋଇପାରେନା । ତା’ ଅଭିନୟ ଜୀବନ ଆରମ୍ଭର ଅନେକ ବର୍ଷ ପରେ ଅନୀଲାର ଅଭିନୟ ଜୀବନ ଆରମ୍ଭ । ଅନୀଲା, ଜୀବନକୁ ଖୁବ୍‍ ହାଲୁକା ଭାବରେ ନିଏ । ସେ ଅଭିନୟକୁ ହିଁ ସତ ବୋଲି ଧରିନିଏ ।

 

ସୁନୀଲା ଓ ରସିକମୋହନଙ୍କୁ ନେଇ ସେଦିନ ମଞ୍ଚସ୍ଥ ନାଟକର ଶେଷ ଦୃଶ୍ୟ ଅଭିନୀତ ହେଉଥାଏ । ମଥାରେ ସିନ୍ଦୂର, ଚୁଡ଼ି ପିନ୍ଧି, ସୁନୀଲା ରସିକମୋହନର ସ୍ତ୍ରୀ ଭୂମିକାରେ ଅଭିନୟ କରୁଥାଏ । ମାତ୍ର ଅନୀଲା ଏ ଦୃଶ୍ୟ ଦେଖି ରାଗ ଓ ଈର୍ଷାରେ ଜଳି ଉଠୁଥାଏ । ପରେ ପରେ ମଞ୍ଚ ଜୀବନ, ସେମାନଙ୍କ ସଂଘର୍ଷ ଏବଂ ସେମାନଙ୍କ ସାମାଜିକ ଅବସ୍ଥା କଥା ଭାବି ଅନୀଲାର ମନ ଆର୍ଦ୍ର ହୋଇଉଠେ ।

 

ଶେଷ ଦୃଶ୍ୟ ସମାପ୍ତ ହେଉ ହେଉ, ଗ୍ରୀନ୍‍ରୁମର ପଛପଟେ ଅନୀଲା, ରସିକମୋହନ ସହ କଥା ହେଉଥାଏ । ତାହା ସୁନୀଲା ଆଖିରେ ପଡ଼େ । ସେମାନଙ୍କ କଥା ବି କିଛି କିଛି ଶୁଣାଯାଏ ତା’କୁ । ମାତ୍ର ସାନ ଭଉଣୀ ପରି ତା’ ମନରେ ଈର୍ଷା ଜାଗ୍ରତ ହୁଏ ନାହିଁ । ସେ ଜାଣେ ଏ ସମ୍ପର୍କ ପ୍ରେମର ନୁହେଁ, ପ୍ରବଞ୍ଚନାର; ଦୈହିକ ଲାଳସାର । ପ୍ରେମ ପାଇଁ ଈର୍ଷା ହୁଏ ସିନା, ପ୍ରବଞ୍ଚନାରେ ଈର୍ଷା ନାହିଁ । ନିଜକୁ ନିଜେ ଭୁଲେଇ ଦେଇ ବଞ୍ଚିଯିବାର ସମ୍ପର୍କ । ଦୟା ଓ ଅନୁକମ୍ପାରେ ବରଂ ତା’ ପ୍ରାଣ ଭରିଉଠିଲା ଅନୀଲା ପାଇଁ । ମନେ ମନେ ଭାବୁଥିଲା ବିଚାରୀ ଅନୀଲା । ଟଙ୍କା ରୋଜଗାର କରିବାର ଦାୟରେ, ବାଧ୍ୟବାଧ୍ୟକତାରେ ମୁହଁରେ ରଙ୍ଗ ବୋଳୁଛି ସିନା ସେ, ମନରେ ମଧ୍ୟ ଟିକେ ରଙ୍ଗ ବି ଦରକାର ବଞ୍ଚିବା ପାଇଁ । ସେଥିପାଇଁ ତା’ର ଏ ଲାଳସା ଓ ଉତ୍କଣ୍ଠା ।

 

ଦୁଇ ଭଉଣୀଙ୍କ ଜୀବନ ବି ନାଟକ ପରି । ଘରେ ରୋଗୀଣା ମା’, ସୁନୀଲା ତଳେ ଓ ଅନୀଲା ଉପରେ-ଭାଇ ସୁରେଶ । ଅନୀଲା ତଳେ ଆଠ ବର୍ଷ ବୟସର ଭଉଣୀ ରୀନା, ତା’ ତଳେ ଭାଇ ବୁଟୁ ଏବଂ ସବା ଶେଷରେ ସାନଭାଇ ଦେଢ଼ ବରଷର କୁନା । ବାପା ମଦନ ଦାସ । ରୋଜଗାରର କିଛି ପନ୍ଥା ନାହିଁ, ଭାଇ ସୁରେଶ କଥା ବି ସେଇୟା । ଟଙ୍କା ରୋଜଗାର ପାଇଁ ଦୁଇ ଭଉଣୀ ଶତାଧିକ ଲୋକଙ୍କ ପାଦତଳେ ପଡ଼ିଛନ୍ତି । ପ୍ରଣୟିନୀ ସାଜିଛନ୍ତି । ବାପାଙ୍କ ପରି ଭାଇ ସୁରେଶ ମଧ୍ୟ ଦୁଇ ଭଉଣୀଙ୍କ ଅଭିନୟ ଏବଂ ଯୌବନ-ଉଭୟର ଦଲାଲ୍‍ ସାଜିଛି ।

 

ଜୀବନ ତା’ ଶଗଡ଼ଗୁଳା ରାସ୍ତାରେ ଚାଲିଥିବା ବେଳେ, ଗୋଟିଏ ଗୋଟିଏ ଘଟଣା, ଅନେକ କିଛି ଭାବିବାକୁ ବାଧ୍ୟ କରେ । ସେ ରାତିରେ ସୁନୀଲା, ରସିକମୋହନର ବୋହୂ ହେବାର ଅଭିନୟ କରୁଥିବାରୁ, କପାଳରେ ଟିପା ଚନ୍ଦନ, ସୀମନ୍ତରେ ବହଳ ସିନ୍ଦୂର ରେଖା ଏବଂ ଗାଲରେ କସ୍ତୁରୀର ବର୍ଣ୍ଣ ବୋଳି ହୋଇଥିଲା । ସେଦିନ ସେ ଖୁବ୍‍ ସୁନ୍ଦର ଦେଖାଯାଉଥିଲା । ଅନେକ କିଛି ଅଲଗା ଓ ନୂଆ ନୂଆ ବି ଦେଖାଯାଉଥିଲା । ସେ ରଙ୍ଗବୋଳା ମୁହଁକୁ ଏମାନେ ସକାଳେ ଧୁଆଧୁଇ କରି ଛଡ଼ାଇଥାଆନ୍ତି । ଯଦିଓ ସ୍ୱପ୍ନରେ କେବେକେବେ ବିଭୋର ହୁଏ ମନ, କିନ୍ତୁ ବାସ୍ତବତା ଚିନ୍ତା କଲେ ଭବିଷ୍ୟତ ଜୀବନର ଭାବନା ସବୁ ବିଷାକ୍ତ ହୋଇଯାଏ ।

 

ଅପାର ବାହାଘର କେବେ ହେବ ବୋଲି ସାନଭାଇ ବୁଟୁ ଥରେ ପ୍ରଶ୍ନ କରିଥିଲା । ସୁନୀଲା ଏ ପ୍ରଶ୍ନରେ ଖୁବ୍‍ ବିରକ୍ତ ଏବଂ ବିବ୍ରତ ହୋଇଯାଇଥିଲା । ଠିକ୍‍ ସେତିକିବେଳେ, ସେଇ ଭୋର୍‍ରୁ, ଦାଣ୍ଡରେ ସାଇକେଲ୍‍ ରହିବାର ଶବ୍ଦ ଶୁଣି ସୁନୀଲା ବିରକ୍ତ ଓ ଆଶଙ୍କାରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା । ସେ ଭାବୁଥିଲା, ରସିକମୋହନ ଆସିଥିବ । ଅନୀଲା ଦାଣ୍ଡରେ ଠିଆ ହୋଇ ତା’ ସହିତ ନିର୍ଲଜ୍ଜ ହୋଇ ହସି ହସି ଗପୁଥିବ, ବାପା ଦେଖୁଥିବେ । ଆଉ ରସିକମୋହନଠାରୁ ଦଶଟଙ୍କା ଧାର ନେଇ ଆଉ ଅନୀଲାକୁ ଆକଟ ନ କରି ସେମିତି ସେଇଠି ସେ ଦୁଇଜଣଙ୍କୁ ସୁଯୋଗ ଦେଇ ବଜାର ବୁଲି ପଳେଇଥିବେ । ଖୁବ୍‍ ଜୋରରେ ଚିଡ଼ି ଉଠିଲା ସୁନୀଲା, ମନେମନେ ଅନୀଲା ଉପରେ । କିନ୍ତୁ ହଠାତ୍‍ ସେ ଆବିଷ୍କାର କଲା, ବୁଲାଭାଇକୁ । ଅନୀଲା ତାଙ୍କୁ ନେଇକି ହିଁ ଘରକୁ ପ୍ରବେଶ କରୁଥିଲା । ବୁଲାଭାଇର ପ୍ରଶ୍ନ–‘‘କିଲୋ ଦୁର୍ଗା କ’ଣ କରୁଛୁ ?’’ ରେ ସୁନୀଲା ତା’ ଅତୀତକୁ ଫେରିଯିବାକୁ ବାଧ୍ୟ ହୁଏ । ମା’ ଆଉ ବୁଲା ଭାଇ, ଏଇ ଦୁଇଜଣ, ତା’କୁ ଶ୍ରଦ୍ଧା ନାମ ‘ଦୁର୍ଗା’ କରି ଡାକନ୍ତି । ଅନେକ ଦିନ ତଳର କଥା । ନୂଆ ନୂଆ ନାଟକରେ ଅଭିନୟ କରିବାକୁ ଯାଇଥିଲା । ବାପା ଆଉ ଏଇ ବୁଲାଭାଇ ସହ । ସେଇଠି ନାଟ୍ୟକାର ଶୁଭେନ୍ଦୁ ବାବୁ ତା’ର ଏଇ ପୁରୁଣା କାଳିଆ ଠାକୁରାଣୀ ନାଁ ‘ଦୁର୍ଗା’ ଚଳିବନି କହି ‘ସୁନୀଲା’ ବୋଲି ନୂଆ ନାମକରଣ କରିଥିଲେ । ଯେବେ ଅନୀଲା, ଅଭିନୟ କରିବା ପାଇଁ ମଞ୍ଚ ଚଢ଼ିଲା, ତା’ ନାଁ ସହ ଯୋଡ଼ ପକେଇ, ତା’ ନାଁକୁ ‘ବିମଳା’ ରୁ ‘ଅନୀଲା’ କୁ ପରିବର୍ତ୍ତନ କରି ଦେଇଥିଲେ ସେହି ଶୁଭେନ୍ଦୁ ବାବୁ ।

 

ବୁଲା ଅନାଥ, ତା’ ନାଁ କାଙ୍ଗାଳୀ କି କ’ଣ, ସୁନୀଲା ମନେ ପକଉଥିଲା । ସେ ସତରେ ବୁଲା ମଣିଷଟିଏ । କେହି ନାହିଁ ତା’ର ନିଜର ବୋଲି । ବାରଆଡ଼େ ବୁଲି ବାରଲୋକଙ୍କୁ ସାହାଯ୍ୟ କରିବା, ନିଜର କରିବା ତା’ର ଧର୍ମ ଯେମିତି । ବୁଲାକୁ ପାଖରେ ପାଇଲେ ସୁନୀଲା ମନ ଉଲ୍ଲସିତ ହେଇଯାଏ ।

 

ସକାଳୁ ସକାଳୁ ରସିକମୋହନ ନୁହେଁ, ବୁଲାକୁ ଦେଖି ସୁନୀଲା ଖୁସି ହୋଇଗଲା । ଆପଣାର ଭଳି ମଣିଷଟିଏ । ପରଦିନ ସୁନ୍ଦରପୁରକୁ ଅଭିନୟ କରିବା ପାଇଁ ଯିବାକୁ ହେବ, ସେଠିକି ନେଇକି ଯିବା ପାଇଁ ମା’, ବୁଲାଭାଇକୁ କହୁଥିଲା । ବାପା କୁଆଡ଼େ କାମରେ ଯିବେ । ଏ ଦୁଇ ଭଉଣୀଙ୍କୁ ସେଠି ନେଇ ଛାଡ଼ିବାର ଦାୟିତ୍ୱ ବୁଲା ଉପରେ ନ୍ୟସ୍ତ ହେବାକୁ ଯାଉଛି ଜାଣି, ସୁନୀଲା ଅତ୍ୟନ୍ତ ଖୁସି ହୋଇଯାଉଥାଏ ।

 

ସେ ମନେପକାଉଥାଏ, ବାର ତେରବର୍ଷର ଦୁର୍ଗାର ମଞ୍ଚ ଅଭିନୟର ପ୍ରଥମ ଦିନ । ନୂଆ ଜୀବନ ଆରମ୍ଭରେ ଭେଟିଥିବା ମଣିଷମାନେ ସେମାନଙ୍କର ବର୍ଚ୍ଛା ପରି ଆଖିଗୁଡ଼ାକରେ ତା’ ଦେହର ଅନ୍ଦିକନ୍ଦିକୁ ଅଶ୍ଳୀଳ ନଜରରେ ଚରି ବୁଲୁଥିଲେ । କିଛିଦିନ ପରେ, ସୁନୀଲାକୁ ଅଭିନୟ ଶିଖାଇବାକୁ ଏକାନ୍ତରେ ଡାକି ତା’ ଇଜ୍ଜତ ଲୁଟି ନେଇଥିଲେ, ନିର୍ଦ୍ଦେଶକ ବୋଲାଉଥିବା ଶୁଭେନ୍ଦୁ ବାବୁ । ମରି ଯାଇଥିଲା, ସୁନୀଲା ଭିତରର ଚପଳ, ନିରୀହ ଝିଅ ଦୁର୍ଗା । ବୁଲାର ଦୁର୍ଗା ଡାକରେ, ସେ ନିଜ ଅସ୍ତିତ୍ୱକୁ ଫେରିଯାଏ । ଆଶ୍ୱାସନା ମିଳେ ଯେ ସେ ‘କେବଳ ଛଳନା ନୁହେଁ, କେବଳ ଅଭିନୟ ନୁହେଁ’ । ତା’ ଭିତରେ ଏବେ ବି ମଣିଷର ଅସ୍ତିତ୍ୱଟେ ଅଛି । ଅନୀଲାର ବି ନାରୀତ୍ୱର ଅପମୃତ୍ୟୁ ଘଟି ସାରିଛି । ନାରୀତ୍ୱ ତା’ର ବଳି ପଡ଼ି ସାରିଥିବା ଜନ୍ତୁଟିଏ ପରି । ତା’ ଆଦରର ଗୁଲୁଗୁଲିଆ ସାନଭଉଣୀ ବି ତା’ପରି ଛପିଯାଇଥିଲା, ସେଇ ରଙ୍ଗର ସମାରୋହ ଭିତରେ; ମିଶିଯାଇଥିଲା ଆଲୋକର ପ୍ରଖର ବନ୍ୟାରେ ।

 

କିଛି ସମୟ ପୂର୍ବରୁ ରସିକମୋହନ ସହ ତା’ର ଭାବନାବକୁ ସନ୍ଦେହ କରି, ଈର୍ଷା କରି ଜଳୁଥିବା ସୁନୀଲାର ଦୟା ଜାଗ୍ରତ ହେଉଥିଲା ଅନୀଲା ପାଇଁ । ଇଚ୍ଛା ହେଉଥିଲା, ସାନ ଭଉଣୀ ଅନୀଲାକୁ ଜାବୁଡ଼ି ଧରି କାନ୍ଦିବାକୁ । ଲୁହରେ ମଞ୍ଚକନ୍ୟା ସୁନୀଲାକୁ ଭସେଇଦେଇ, ଦୁର୍ଗାକୁ ଜୀବନ୍ୟାସ ଦେବା ପାଇଁ । ଅନୀଲା ଜାଣେ ଅପା ଏମିତି ଦିନେ ଦିନେ ଆନମନା ହୁଏ । ପ୍ରଥମେ ସେ ଭାବୁଥିଲା–‘ପ୍ରତିଶ୍ରୁତି ଦେଇଥିବା କେହି ପ୍ରଣୟୀ ହୁଏତ ତା’କୁ ପ୍ରତାରଣା’ ଦେଇଛି । ତା’ପରେ ନିଜ ଅଭିଜ୍ଞତାରୁ ଜାଣିଲା–ଏ ମଞ୍ଚ ଜୀବନରେ ‘ପ୍ରଣୟ’ ବୋଲି କୌଣସି ବସ୍ତୁ ନାହିଁ । ଆଉ ଅପାକୁ କେନ୍ଦ୍ର କରି କୌଣସି ଗୋଟିଏ ହେଲେ ନିର୍ଦ୍ଦିଷ୍ଟ ମଣିଷକୁ ସେ ଦେଖିନାହିଁ, ଯେଉଁମାନେ ଅଭିନୟ କି ବନ୍ଧୁତା ଜରିଆରେ ତା’ ସହ ମିଶୁଥିଲେ । ସେମାନେ ଆସୁଥିଲେ ଯେପର୍ଯ୍ୟନ୍ତ ସୁନୀଲାର ଦେହର ଫୁଟନ୍ତା ଫୁଲ ଝାଉଁଳି ଯାଇ ନ ଥିଲା । ଏବେ ଯେଉଁମାନେ ଆସନ୍ତି, ସେମାନେ ଚକଟି, ଦଳି, ମନ୍ଥି ଦେବାକୁ ଆସନ୍ତି ସିନା, ଫୁଲକୁ ଆଦର କରିବା ପାଇଁ କେହି ଆସନ୍ତି ନାହିଁ । ସୁନୀଲାର ସେ ସୌନ୍ଦର୍ଯ୍ୟ ମଧ୍ୟ ଆଉ ନାହିଁ ।

 

ଏତିକିବେଳେ ବୁଲା ସେମାନଙ୍କୁ ସକାଳୁ ନେଇ ସୁନ୍ଦରପୁରରେ ନେଇ ପହଞ୍ଚେଇ ଦେବାକୁ ସୁନୀଲାର ମା’ କହିବାରେ, ବୁଲା ସମ୍ମତି ଜଣାଉ ଜଣାଉ ପଚାରିଦିଏ ସୁନୀଲାକୁ ତା’ ପ୍ରେମୀ ଶ୍ରୀନିବାସ କଥା ।

 

ବୟସରେ ସାମାନ୍ୟ ସାନ ହୋଇଥାଇପାରେ, କିନ୍ତୁ ଶ୍ରୀନିବାସ ଥିଲା ସୁନ୍ଦର ସୁପୁରୁଷ । ତା’ର ଯେ ଯଥେଷ୍ଟ ପଇସା ଅଛି, ବଡ଼ ବଡ଼ କଥା କହି ଜଣାଇଦିଏ । ସେ ବର୍ଷ ବର୍ଷ ଧରି ସୁନୀଲାର ଦେହ, ମନ, ରୂପ ସବୁକୁ ଆବୋରି ବସିଥିଲା । ଏସବୁ ଜାଣେ ବୁଲା । ସୁନୀଲା କାଳେ ତା’କୁ ଭୁଲ୍‍ ବୁଝିବ–ଏ ଭୟରେ ବୁଲା ଦିନେ ବି ପ୍ରତିରୋଧ କରିନାହିଁ । ଶ୍ରୀନିବାସ ଯେ ସୁନୀଲା ସହ ଛଳନା କରୁଥିଲା, ସୁନୀଲା ବୁଝି ପାରୁ ନ ଥିଲା,। ଜୀବନରେ କେହି ବୋଲି କେହି ନିଜର ନ ଥିବା ବୁଲା କିନ୍ତୁ ଦୁନିଆକୁ କଳନା କରିବାର କୌଶଳ ଶିଖିଛି । ସେ ଶିଖିଛି ମଣିଷକୁ ଚିହ୍ନିବାର କଳା । ଜୀବନ ତା’ ପାଇଁ ଏକ ଅଧ୍ୟୟନ । ରଙ୍ଗର ସମାରୋହ ବିଲ୍‍କୁଲ୍‍ ନୁହେଁ । ବୁଲା ମନ ଭିତରେ ସୁନୀଲା ପାଇଁ ସମ୍ବେଦନା ଥାଏ, ଥାଏ ଭଲପାଇବା । ଶ୍ରୀନିବାସ ଓ ସୁନୀଲା–ଦୁହେଁ ପ୍ରମରେ ଚିତ୍ରିତ ପ୍ରଜାପତି ପରି ବୁଲୁଥାଆନ୍ତି । ବୁଲା, ଶ୍ରୀନିବାସର ଅସଲ ଚେହେରାକୁ ଚିହ୍ନେ । ଥରେ ସୁନୀଲାକୁ ଶ୍ରୀନିବାସର ଅସଲ ସ୍ୱରୂପ ଜଣାଇଥିଲା କିନ୍ତୁ ସେତେବେଳେ ସୁନୀଲା ବୁଲାକୁ ଅପମାନ ଦେଇଥିଲା । ତା’ କଥାକୁ ନ ଧରି, ସେ ହସି ହସି ସହିଯାଇଥିଲା ସିନା ଆଉ କେବେ ବି କିନ୍ତୁ କିଛି କହୁ ନ ଥିଲା ସୁନୀଲାକୁ । ନିଜେ ତା’ ସୀମିତ ପରିସର ଭିତରେ ରହିବାକୁ ଉଚିତ୍‍ ମନେ କରିଥିଲା ।

 

ଦିନେ ଶ୍ରୀନିବାସ ସୁନୀଲାକୁ ଛଳନା କରି ଡାକି ଆଣିଥିଲା ଏକ ନିର୍ଜ୍ଜନ ଡାକବଙ୍ଗଳାକୁ । ଶ୍ରୀନିବାସ ନିଜ କାମନା ଚରିତାର୍ଥ କରିସାରିବା ପରେ ସୁନୀଲାକୁ ଏକୁଟିଆ ସେଠାରେ ଛାଡ଼ି ପଳେଇ ଆସିଥିଲା । ନିର୍ଜ୍ଜନ, ନିଶୂନ୍‍, ଏକୁଟିଆ ସେ ଡାକବଙ୍ଗଳାରେ ଅଚାନକ୍‍ ବୁଲା ପହଞ୍ଚେ ଗୋଟିଏ ଦିନ ପରେ । ବର୍ଷଣ ମୁଖର ରାତି, ଏକୁଟିଆ ଅସହାୟ, ବିକ୍ଷିପ୍ତ ସୁନୀଲାର କୌଣସି ଫାଇଦା ଉଠାଇ ନ ଥିଲା ସେ । ସମବେଦନାରେ ତାକୁ ଉଦ୍ଧାର କରି ଆଣିଥିଲା । ଏ ଘଟଣାକୁ ଏପଟ ସେପଟ ବାଗରେ କହି, ବୁଲା ନାଁ ରେ ଅପବାଦ ପ୍ରଚାର ବି କରିଥିଲା ଶ୍ରୀନିବାସ । ମାତ୍ର ନୀଳକଣ୍ଠ ପରି ଏ ଅପବାଦର ବିଷ ପିଇ ନେଇ ସହିଯାଇଥିଲା ବୁଲା, କିନ୍ତୁ କେଉଁଠି କିଛି ବି କହି ନ ଥିଲା ।

 

ଦ୍ୱିପହରର ଖରାରେ ଅନୀଲା ଶୋଇଥାଏ । ବ୍ଲାଉଜ୍‍ ସିଲେଇ କରୁ କରୁ ସୁନୀଲା ତା’କୁ ଦେଖୁଥାଏ । ଅନୀଲା ଆଖିରେ ସ୍ୱପ୍ନର ଢେଉ । ଏଇ ସମୟରେ ସୁନ୍ଦରପୁରରୁ କଣ୍ଟ୍ରାକ୍ଟ ନେଇ ଆସିଥିବା ଲୋକଙ୍କଠାରୁ ବଇନା ପଇସା ବାପା ନେଇଯାଇଥିବା କଥା ଜାଣି ସୁନୀଲା ବିରକ୍ତ ହେଉଥିଲା ।

 

ସେଦିନ ସନ୍ଧ୍ୟାରେ ଅନୀଲା ରସିକମୋହନକୁ ଆଉ ସୁନୀଲା ବୁଲାକୁ ଅପେକ୍ଷା କରିଥିଲା । ବୁଲାର ନ ଆସିବା, ବାପାଙ୍କ ରସିକମୋହନଠାରୁ ଟଙ୍କା ଆଣି, ଝିଅ ଦି’ଜଣଙ୍କୁ ତା’ ପାଖକୁ ଠେଲିଦେବା, ଅନୀଲା ରସିକମୋହନ ସହ ସିନେମା ଦେଖିଯିବା ପାଇଁ ଅପାକୁ ସାଥି କରିବା–ଇତ୍ୟାଦି ଘଟଣା ସୁନୀଲା ମନକୁ ବିଷାକ୍ତ କରିଦେଇଥିଲା । ସୁନୀଲାର ଏ ବିବ୍ରତ ମାନସିକ ଅବସ୍ଥା, ଚରମ ସୀମାରେ ପହଞ୍ଚିଯାଏ, ଯେତେବେଳେ ଅନୀଲା, ତା’ର ଗୋଲାପୀ ଶାଢ଼ିଟି ଦେବାକୁ ଅନୁନୟ କରେ । ବାହାର କରି ଆଣେ ତା’ ଦେହରୁ ଦୁଇଜଣଙ୍କ ମଧ୍ୟରେ କଳିତକରାଳ ବି ହୁଏ । ଅଭିମାନ, ଅପମାନରେ କାନ୍ଦିଉଠେ ସୁନୀଲା ।

 

ସୁନ୍ଦରପୁରର–ନିର୍ଜ୍ଜନ ଗାଉଁଲୀ ଡାକବଙ୍ଗଳାରେ, ପୌଢ଼ା ବିଗତଯୌବନା, ମଞ୍ଚ ସାମ୍ରାଜ୍ଞୀ ଥିବା ନୀରଦବାଳାର ପ୍ରବେଶ ଘଟେ । ନିଜର ଅତୀତ ଜୀବନ ଆଉ ବର୍ତ୍ତମାନର ଜ୍ୱାଳା କଥା କହୁଥିଲେ ସେ । ତା ଜୀବନ କାହାଣୀ ଶୁଣି ସୁନୀଲା ନିଜ ଯନ୍ତ୍ରଣା କଥା ଭୁଲିଯାଉଥିଲା । ତା’ କାହାଣୀ ଭିତରେ ସେ ନିଜକୁ ହିଁ ଦେଖୁଥିଲା ।

 

ସେଇଠି ନରହରିର ପ୍ରବେଶ ଘଟେ । ଅନୀଲା ସହ ଏଇଠି ତା’ର ବନ୍ଧୁତ୍ୱ । ଜୀବନକୁ ଉପଭୋଗ କରିବାର ମଗଜ ରଖିଥିବା ଅନୀଲାକୁ କିଏ ବା ବୁଝେଇବ ! ବୁଲା ନରହରି ବିଷୟରେ ସୁନୀଲାକୁ ଚେତେଇ ଦେଇ ବି ଯାଇଥିଲା । ସୁନ୍ଦରପୁରରୁ ଫେରିବା ପରେ ଏବେ ଅନୀଲାର ନୂଆ ବନ୍ଧୁ–ରାଜେନ୍ଦ୍ର ବାବୁ । ସବୁଦିନ ଢେର୍‍ ରାତିରେ କାରରେ ଆଣି ଛାଡ଼େ ଅନୀଲାକୁ । ଏହି ସମୟରେ ଯେତେ ରୋଜଗାର କରିହୁଏ, ସେତେ ଭଲ । ଏତିକିବେଳେ ଅନୀଲା ତା’କୁ ପ୍ରଶ୍ନ କଲା, ତା’ର ବାହା ହେବାକୁ ଇଚ୍ଛା ହୁଏନି । କଥା ପ୍ରସଙ୍ଗରେ ଅନୀଲା ସ୍ୱୀକାର କଲା ଯେ ସେ ଗର୍ଭବତୀ, ମାତ୍ର ତା’କୁ କେହି ବିବାହ କରିବେନି । ସେ ଭେଟିଥିବା ସବୁ ପୁରୁଷ ତା’ ଦେହର ପ୍ରେମିକ ମାତ୍ର ।

 

ସାମାଜିକ ଲାଞ୍ଛନା ସହି ହେବ ନାହିଁ ଜାଣି, ଅନୀଲା ଘର ଛାଡ଼ି ପେଶାଦାର ମଞ୍ଚରେ ଯୋଗ ଦେଇଛି । ସେଠି ଏପରି ପିଲାଙ୍କ ପିତୃ ପରିଚୟ କେହି ଖୋଜନ୍ତି ନାହିଁ । ଅନୀଲା ଗଲା ପରେ, ବାପା ମା’ ସମସ୍ତେ ବିରକ୍ତ ହେଉଥିଲେ । ହାତକୁ ପଇସା ଆସୁ ନ ଥିବାରୁ, ଆଉ ସୁନୀଲା, ବୟସ୍କ ହୋଇଥିବାରୁ ତା’ ଚାହିଦା କମିଯିବାରୁ, ବାପା ଯାଚ୍ଛା ତା’ କହୁଥିଲେ ସୁନୀଲାକୁ । ସୁନୀଲା ତାକୁ ଆଉ ସହ୍ୟ କରିପାରୁ ନ ଥିଲା । ତା’କୁ ମନେ ହେଉଥିବା ବାପା ବୋଲି ଯାହାକୁ ସେ ଡାକେ, ସେ କେବେ ହେଁ ଜନ୍ମଦାତା ହୋଇ ନ ପାରନ୍ତି । ସେ ପଶୁଠାରୁ ବି ହୀନ । ସେ ଖୁବ୍‍ ମନେପକାଏ ବୁଲାକୁ । ଏ ଅବାଞ୍ଛିତ ଜୀବନରେ ସେ ବୋଧେ ବୁଲାକୁ ହିଁ ଭଲପାଏ । ଏ ‘ଭଲପାଏ’ ଶବ୍ଦଟି ତା’ ଘଷରା ଜୀବନଟା ହଠାତ୍‍ ଶତ ଇନ୍ଦ୍ରଧନୁ ଝଲକରେ ଆଲୋକିତ କରିଦେଲା ।

 

ସୁନୀଲା ବାପାଙ୍କୁ ଧିକ୍‍କାର କରେ । ବାପାଙ୍କର ଗୋଟାଏ ଚଟ୍‍କଣିରେ ସୁନୀଲା ତଳେ ଲୋଟିପଡ଼େ । ସ୍ଥିର କଲା ଏ ଘରକୁ ସେ ଆଉ କେବେ ଫେରିବ ନାହିଁ । ସୁନ୍ଦର ଶାଢ଼ିଟିଏ ପିନ୍ଧି, ପ୍ରସାଧନ ମୁହଁରେ ମାରି, ଅତର, କୁଙ୍କୁମ ଲଗେଇ, ବଳେଇ ରଖିଥିବା କିଛି ଟଙ୍କା ନିଜ ଭ୍ୟାନିଟି ବ୍ୟାଗରେ ଧରି ବାହାରିଗଲା । ଦାଣ୍ଡଦୁଆରେ ମୁଣ୍ଡିଆଟେ ମାରି କୋଳାହଳମୟ ରାତିରେ ମିଶିଯିବାକୁ ବାହାରିଗଲା । ପୁଣି ଦେଖା ହେଲା ତ ବୁଲାର ଛୋଟ ବଖରାରେ । ମାନ, ଅଭିମାନ, ଲୁହ ଓ କୋହଭରା ଛାତି ହାଲ୍‍କା ହେବା ପରେ ଜଣେ ଅପରକୁ ଭଲପାଉଥିବା ଦୁଇଟି ଆତ୍ମା ମିଶି ଏକ ହୋଇଯାଇଥିଲେ ।

 

ଅନ୍ୟ ପକ୍ଷରେ ଅନୀଲା ପ୍ରସୂତି ଭବନରେ ନବାଗତ ଆଗନ୍ତୁକକୁ ଦେଖି ଆନମନା ସେ-। ଅବାଞ୍ଛିତ ମାତୃତ୍ୱକୁ ନେଇ କେମିତି ସେ ସାମ୍ନା କରିବ ସଂସାରକୁ ବୋଲି ଭାବୁଥାଏ-। ଅନେକ ଚେଷ୍ଟା ତ କରିଥିଲା ଏ ପିଲାଟିକୁ ଗର୍ଭରୁ ହିଁ ନଷ୍ଟ କରିଦେବାକୁ । କିନ୍ତୁ ସେମିତି କିଛି ହେଲାନି-। ପିତୃ ପରିଚୟହୀନ ତା’ ପିଲାଟି କେମିତି ବଞ୍ଚିବ ଏ ଅବହେଳିତ ଜୀବନକୁ ନେଇ-? ମଞ୍ଚରେ ଅଭିନୟ କରୁଥିବା ସମୟରେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ଆଉ ସେ ସଂଜ୍ଞାହୀନ ହୋଇଯାଇଥିଲା । ସଂଜ୍ଞା ଫେରେ ତ ସେ ଏଇଠି । ଆଖରୁ ଧାର ଧାର ଲୁହ ଗଡ଼ିଯାଇଥିଲା ବେଳେ, କପାଳରେ କାହା କୋମଳ ହାତର ସ୍ପର୍ଶରେ ସେ ପ୍ରକୃତିସ୍ଥ ହେଲା । ହସ ହସ ମୁହଁରେ ସିଷ୍ଟର ଜଣକ ଠିଆ ହୋଇ ଆଶ୍ୱାସନା ଦେଉଥାନ୍ତି । ଅନୀଲାକୁ ତା’ ଭଉଣୀ ଓ ଭିଣୋଇ ତା’କୁ ଦେଖିବାକୁ ଆସିଛନ୍ତି ବୋଲି ଜଣାଇଛନ୍ତି ।

 

‘ଭିଣୋଇ’ ଶବ୍ଦଟି ଅନୀଲାକୁ ବିସ୍ମିତ କରିଛି । ତା’କୁ ସଂଜ୍ଞାହୀନ ଅବସ୍ଥାରେ ତା’ ଭିଣୋଇ ହିଁ ଏଠିକି ଆଣିଥିଲେ ବୋଲି ସିଷ୍ଟର ଉତ୍ତର ଦେଇଛନ୍ତି । ଏତିକିବେଳେ ସୁନୀଲା ରୁମ୍‍ ଭିତରକୁ ଆସେ । ଅପାକୁ ଦେଖି ଅନୀଲା କାନ୍ଦିଉଠେ । ସାନ ଭଉଣୀକୁ ସାନ୍ତ୍ୱନା ଦେବାର ସକଳ ପ୍ରଚେଷ୍ଟା ସୁନୀଲାର ବ୍ୟର୍ଥ ହେଲା । ଜୀବନଯୁଦ୍ଧରେ କ୍ଷତବିକ୍ଷତ ଦୁଇଟି ତରୁଣୀ ତାଙ୍କ ଜୀର୍ଣ୍ଣ ବିଦୀର୍ଣ୍ଣ ହୃଦୟ ଖୋଲି କାନ୍ଦି ଚାଲିଲେ । ଏତିକିବେଳେ ବୁଲା, ସେ କୋଠରୀକୁ ପ୍ରବେଶ କଲା । ଦୁଇ ଭଉଣୀଙ୍କୁ କାନ୍ଦିବାକୁ ବାରଣ କଲା । ବୁଲାଭାଇକୁ ଦେଖି ଅନୀଲା ଆଶ୍ୱାସନା ପାଇଲା । ମଞ୍ଚ ଉପରେ ବେହୋସ ହୋଇପଡ଼ିଥିବା ବେଳେ, କିଏ ତା’କୁ ଡାକ୍ତରଖାନା ଆଣିବ, କେମିତି ଆଣିବ, ସେ ପେଶାଦାର ରଙ୍ଗମଞ୍ଚ ଲୋକଙ୍କ ଭିତରେ ବିଚାର ଚାଲିଥିଲା ବେଳେ,ବୁଲା ଅନୀଲାକୁ ନେଇ ଆସିଥିଲା ଡାକ୍ତରଖାନା ।

 

ପିତୃ ପରିଚୟହୀନ ପୁଅ କଥା ଭାବି ଅନୀଲା ଆଶଙ୍କା ଓ ଭୟରେ ବିଜଡ଼ିତ ହୋଇଯାଉଥିଲା । ବୁଲା ଏ ସବୁରୁ ତା’କୁ ମୁକ୍ତି ଦେଲା ପରି ପଦକ୍ଷେପଟିଏ ନେଇ ଉପନ୍ୟାସର ଯବନିକା ପକାଏ । ନିଜ ଅନାଥ ଅବସ୍ଥାକୁ କଳନା କରି କହେ, ନିଷ୍ପାପ ଶିଶୁକୁ ଅନାଥ, ଜାରଜ ପରି ବିଶେଷଣର ବାହକ ହେବାକୁ ନ ଦେଇ, ସେ ତା’କୁ ନେଇଯିବ । ପରିବେଶ ଗମ୍ଭୀର ହୋଇଯାଏ । କିନ୍ତୁ ବୁଲାର ଏ ନିଷ୍ପତ୍ତି ଏକ ସୁନ୍ଦର ପରିଣାମ ଦିଏ, ଅନ୍ତ ଘଟାଏ ଯନ୍ତ୍ରଣାଜର୍ଜରିତ ଚାରୋଟି ଜୀବନରେ । ଅନୀଲା ଶୀର୍ଣ୍ଣ ହାତରେ ପୁଅକୁ ଆଉଁଷି ଭଉଣୀ ଭିଣୋଇଙ୍କ ହାତରେ ଟେକିଦେଲା ପରେ ଜୀବନର ଅର୍ଥ, ଜୀବନର ସଂଜ୍ଞା ଭାବି ଭାବି ଅନ୍ୟମନସ୍କ ହୋଇଯାଏ ।

 

ଉପସଂହାର :

 

'ମଞ୍ଚକନ୍ୟାର କାହାଣୀ' ମଣିଷପଣିଆର ବିଜୟର କାହାଣୀ । ସୁନୀଲା ଓ ଅନୀଲା, ଯେଉଁମାନେ ବର୍ଷ ବର୍ଷ ଧରି ମଞ୍ଚ ଉପରେ ଅଭିନୟ କରି ଆସୁଥିଲେ, ସେମାନେ ଶେଷରେ ଅଭିନୟର ସେହି ଛଳନାପୂର୍ଣ୍ଣ ଆବରଣକୁ ଚିରି ବାସ୍ତବ ଜୀବନର କଠୋରତାକୁ ଆପଣେଇ ନେଇଛନ୍ତି । ଜୀବନର ସଂଘର୍ଷ ଭିତରେ ନିଜର ଅସ୍ତିତ୍ୱ ଖୋଜିବା ହେଉଛି ପୁସ୍ତକର ମୂଳକଥା ।

 

'ମଞ୍ଚକନ୍ୟାର କାହାଣୀ' ପଢ଼ିବା ପରେ ପାଠକ ଅନୁଭବ କରେ ଯେ, ସୁନୀଲା ଓ ଅନୀଲା କେବଳ ଦୁଇଟି ଚରିତ୍ର ନୁହନ୍ତି, ବରଂ ସେମାନେ ରଙ୍ଗମଞ୍ଚର ସେହି ଅସଂଖ୍ୟ କଳାକାରଙ୍କ ପ୍ରତିନିଧି ଯେଉଁମାନେ ପ୍ରତିଦିନ ସମାଜର ଶୋଷଣ ଓ ଲାଞ୍ଛନାର ଶିକାର ହୁଅନ୍ତି । ନିଜ ବାପା ମଦନ ଦାସଙ୍କ ପରି ଅର୍ଥଲୋଭୀ ବ୍ୟକ୍ତିଙ୍କ ଶୋଷଣ ଏବଂ ସମାଜର ଦୋମୁହାଁ ଚରିତ୍ର ସେମାନଙ୍କୁ ଭିତରୁ ଭାଙ୍ଗି ଦେଇଥିଲେ ବି ସେମାନେ ହାରି ଯାଇନାହାନ୍ତି । ସୁନୀଲାର ଘର ତ୍ୟାଗ କରିବା ଏବଂ ବୁଲାଭାଇଙ୍କ ସହ ଏକ ନୂଆ ଜୀବନ ଆରମ୍ଭ କରିବା ନିଷ୍ପତ୍ତି ଦର୍ଶାଏ ଯେ, ଯେକୌଣସି ଅନ୍ଧକାର ଭିତରେ ବି ଆଶାର କିରଣ ଥାଏ ।

Image